ସାଇବର ଅପରାଧରୁ କିପରି ବଞ୍ଚିବେ?

କିଛି ଦିନତଳେ ମୁଁ ନିଜ ଫେସବୁକ ଖୋଲିଲା ବେଳେ ଏକ ମେସେଜ ଆସିଲା ଯେ, ‘ମୋ ଏକାଉଣ୍ଟକୁ କେହି ବାଙ୍ଗାଲୋରରେ ବ୍ୟବହାର କରିବାକୁ ଚେଷ୍ଟା କରିଛି, ଆପଣ ତାହା ଜାଣିଛନ୍ତି କି ନାହିଁ? ଆପଣଙ୍କ ଫେସବୁକ ଏକାଉଣ୍ଟର ସୁରକ୍ଷା ନିମନ୍ତେ ନିଜର ସିକ୍ରେଟ ପ୍ରଶ୍ନ ଏବଂ ମୋବାଇଲ ନମ୍ବରଟି ଅପଡେଟ କରନ୍ତୁ । ଏହି ମେସେଜ ପଢିବା କ୍ଷଣି ମୁଁ କିଛି ସମୟ ପର୍ଯ୍ୟନ୍ତ ଚକିତ ହୋଇଗଲି । ସତରେ ଆଜିକାଲିକା ମୋବାଇଲ ଯୁଗରେ କିଛି ବି ସୁରକ୍ଷିତ ନୁହେଁ । ମୁଖ୍ୟତଃ ଆପଣ ନିଜର ସବୁ କିଛି ଫେସବୁକରୁ ବାହାର କରିଦିଅନ୍ତୁ; ଯେପରିକି ମୋବାଇଲ ନମ୍ବର, ଜନ୍ମ ତାରିଖ, ଜନ୍ମ ସ୍ଥାନ, ଇତ୍ୟାଦି, ଏପରିକି ନିଜ ପରିବାରବର୍ଗଙ୍କୁ ବି ନିଜ ଫ୍ରେଣ୍ଡ ଲିଷ୍ଟରେ ରଖନ୍ତୁ ନାହିଁ । ଆସନ୍ତୁ ଜାଣିବା କିଛି ଗୁପ୍ତ ରହସ୍ୟ ସାଇବର ଅପରାଧ ବିଷୟରେ ।


ଦୁଇ ଦିନ ତଳେ ମୋର ଜଣେ ଘନିଷ୍ଠ ସାଙ୍ଗଙ୍କ ସହ ଚାଟିଙ୍ଗ କରିଲା ବେଳେ ସେ କହିଲେ, ଯେ ତାଙ୍କର ଜି-ମେଲଟି (G-Mail) ଖୋଲୁନାହିଁ, ଆଉ କିଛି ଏପରି ମେସେଜ ଆସୁଛି ‘some interrupted activities, please try after sometime’ । ଏଭଳି ମେସେଜ ଆସିବାର କାରଣ ଏହା ହୋଇପାରେ, ଯଦି ଆପଣଙ୍କ ଏକାଉଣ୍ଟକୁ ଅନ୍ୟ ସିସ୍ଟେମ ବା କମ୍ପ୍ୟୁଟରରେ ପୂର୍ବରୁ ଖୋଲା ଯାଇଥିବ, ଯାହା ଦ୍ଵାରା ଆପଣ ନିଜ କମ୍ପ୍ୟୁଟର ବା ମୋବାଇଲରେ ଖୋଲିବାରେ ଅସମର୍ଥ ହେଉଛନ୍ତି । ଦ୍ଵିତୀୟ କାରଣ ଏହା ବି ହୋଇପାରେ, ଆପଣ ବ୍ୟବହାର କରୁଥିବା ଆଣ୍ଟି-ଭାଇରସ ସଫ୍ଟୱେର ତାହାକୁ ବ୍ଲକ କରିଥାଇପାରେ । ଯଦି ଆପଣଙ୍କ ଆପ୍ଲିକେଶନ କୌଣସି ଭାଇରସ ଦ୍ଵାରା ସଂରମିତ ହୋଇଥାଏ, ତେବେ କିଛି ଆଣ୍ଟି-ଭାଇରସ ତାହାକୁ କିଛି ସମୟ ପାଇଁ ଅବରୋଧ କରିଥାନ୍ତି ।  ସେଥିରେ ବ୍ୟସ୍ତ ହେବାର କିଛି ନାହିଁ । ଏହି ପରିସ୍ଥିତିରେ, ମୁଁ ମୋ ସାଙ୍ଗଙ୍କୁ ନିର୍ଦ୍ଦେଶ ଦେଲି ତୁରନ୍ତ ଗୁଗଲକୁ ଜଣାଅ ଆଉ ନିଜର ସିକ୍ରେଟ ପ୍ରଶ୍ନ, ଉତ୍ତର, ପାସୱର୍ଡ, ଆଦି ପରିବର୍ତ୍ତନ କର । ଯଦି ଆଣ୍ଟିଭାଇରସ ସଫ୍ଟୱେର ଅପଡେଟ ହେଇନି, ତେବେ ଅପଡେଟ କରିବା ବି ଆବଶ୍ୟକ ।

ଆଜିକାଲି ଆମେ ଅଣ୍ଡ୍ରୋଇଡ ମୋବାଇଲରେ ଏତେ ବ୍ୟସ୍ତ ହେଇଯାଇଛୁ ଯେ, ଯେଉଁ ପର୍ଯ୍ୟନ୍ତ ତାହା ହାଙ୍ଗ ହେଇନଥାଏ, ଆମେ ତାହା ପ୍ରତି ଧ୍ୟାନ ବା ଗୁରୁତ୍ଵ ଦେଇନଥାଉ । ପ୍ରତିଦିନ ଆମେ ଯେପରି ନିଜକୁ ସଫାସୁତୁରା ରଖୁ ସେପରି ନିଜ ମୋବାଇଲକୁ ସୁରକ୍ଷିତ ରଖିବା ଆବଶ୍ୟକ, ଏହା ମାନେ ସେଥିରେ ଥିବା ଆଣ୍ଟି-ଭାଇରସକୁ ଅପଡେଟ କରିବା, ଅନାବଶ୍ୟକ ଫାଇଲ ବା ଜଙ୍କ ଫାଇଲଗୁଡିକୁ ଡିଲୀଟ ବା ବାହାର କରିବା ନିହାତି ଆବଶ୍ୟକ । ଏଭଳି ଅଭ୍ୟାସ ଦ୍ଵାରା ଆପଣଙ୍କ ମୋବାଇଲ ବା କମ୍ପ୍ୟୁଟର ଖୁବ ଆରାମରେ ବହୁଦିନ ପର୍ଯ୍ୟନ୍ତ ଚାଲିପାରେ । ନଚେତ କିଛି ନା କିଛି ସାଇବର କ୍ରାଇମରେ ଫସିଯିବାର ଆଶଙ୍କା ଥାଏ । ନିଜର କମ୍ପ୍ୟୁଟର ଏବଂ ମୋବାଇଲକୁ ସୁରକ୍ଷିତ ରଖିବାରେ ଆପଣାନ୍ତୁ ଏହି କିଛିଟା ସହଜ ପ୍ରଣାଳୀ ।

୧) ସ୍ପାମ ଇମେଲଗୁଡ଼ିକୁ ରିପ୍ଲାଇ କରନ୍ତୁ ନାହିଁ ।

ପ୍ରତିଦିନ ମୋ ଇମେଲରେ ଗୁଡ଼ାଏ ସ୍ପାମ ମେଲ/ମେସେଜ ଆସିଥାଏ । ଯେପରି, ଆପଣ Sweepstakes ବା ଅନ୍ୟ କୌଣସି କମ୍ପାନିଦ୍ଵାରା $୨୦,୦୦୦ ଜିତିଛନ୍ତି । ତାହା ପାଇବା ପାଇଁ ନିଜର ନାମ, ଠିକଣା, ବୟସ, ପିନ କୋଡ, ଇମେଲ, ପାସୱର୍ଡ, ବାଙ୍କ ଖାତା ନମ୍ବର, ଇତ୍ୟାଦି ପଠାନ୍ତୁ ।  ଏଭଳି ମେସେଜ ପଢି ବହୁ ଶିକ୍ଷିତ ବ୍ୟକ୍ତି ବି ନିଜର ସଂପୂର୍ଣ୍ଣ ବିବରଣୀ ସେହି କମ୍ପାନିକୁ ଦେଇଥାନ୍ତି ।

ଏହା ଦ୍ଵାରା କଣ ହୋଇଥାଏ? ପ୍ରଥମତଃ, ଆପଣ ସେଭଳି ଇମେଲକୁ ରିପ୍ଲାଇ କରିବା ଦ୍ଵାରା ଆପଣଙ୍କ କମ୍ପ୍ୟୁଟର ବା ମୋବାଇଲ ସ୍ପାମ ଦୁନିଆକୁ ଚାଲିଯାଏ । ଦ୍ଵିତୀୟତଃ, ଆପଣ ଦେଇଥିବା ବିବରଣୀ ଅନୁସାରେ ସେମାନେ ଆପଣଙ୍କ ଇମେଲ, ବ୍ୟାଙ୍କ ଏକାଉଣ୍ଟକୁ ହାକ (ଚୋରି) କରିପାରନ୍ତି । ତୃତୀୟତଃ, କିଛି ଇମେଲ ରେ ଆପଣ ଦେଖିଥିବେ, ‘to unsubscribe this mail, click here’; ସେହି କ୍ଲିକ ଜାଗାରେ କ୍ଲିକ କରିଲେ, ବି ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ତେଣୁ, ଏଭଳି ସ୍ପାମ ଇମେଲକୁ ଟିକେ ବି ସ୍ପର୍ଶ ନକରି, ତାହାକୁ ଡିଲୀଟ କରିଦେବା ଉଚିତ ।

୨) ଆପଣଙ୍କ ତଥ୍ୟ କୌଣସି ବ୍ୟାଙ୍କକୁ ଦିଅନ୍ତୁ ନାହିଁ

ବେଳେବେଳେ ଏପରି ମେସେଜ ବା ଇମେଲ ଆସେ, ଆମ ବ୍ୟାଙ୍କର କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସିସ୍ଟେମ ଖରାପ ହୋଇଯାଇଛି, ଦୟାକରି ନିଜର ଏକାଉଣ୍ଟ ଡୀଟେଲସ ପଠାନ୍ତୁ, କିମ୍ବା ଏହି ଟୋଲ ଫ୍ରୀ ନମ୍ବରରେ କଲ୍ କରନ୍ତୁ । କିମ୍ବା, ବ୍ୟାଙ୍କରୁ ଏହା ଏକ verification କଲ୍, ଦୟାକରି ଆମର ଏଜେନ୍ଟକୁ କିଛି ବିବରଣୀ ଦିଅନ୍ତୁ ।

ଏହା ଦ୍ଵାରା କଣ ହୋଇଥାଏ? ସତ କହିବାକୁ ହେଲେ, କୌଣସି ବ୍ୟାଙ୍କ ଏଭଳି କରନ୍ତି ନାହିଁ, କିମ୍ବା ଫୋନ ବା ଇମେଲ ମାଧ୍ୟମରେ ବିବରଣୀ ମାଗନ୍ତି ନାହିଁ । କିଛି ବାଜେ କମ୍ପାନି/ବ୍ୟକ୍ତି ବିଶେଷ ଅଧିକା ଦାମରେ ବ୍ୟାଙ୍କ ଭଳି ଇମେଲ ଏଡ୍ରେସ କିଣି ତାହାର ଦୁରୂପୋଯୋଗ କରିଥାନ୍ତି, ଏକାଉଣ୍ଟ ହାକିଙ୍ଗ ପାଇଁ ।

୩) ୩୦ ଦିନର ଟ୍ରାୟଲ ଅଫର ଏବଂ ଅନଲାଇନ ପରଚେଜ

ଇଣ୍ଟେର୍ନେଟରେ ବ୍ରାଉଜିଂ କଲାବେଳେ, ଆମେ ଅନେକ ବିଜ୍ଞାପନ ଦେଖୁ । ଯେପରିକି, ଅମୁକ ଖେଳ (ଭିଡିଓ ଗେମ) ଡାଉନଲୋଡ କରନ୍ତୁ ୩୦ଦିନ ଟ୍ରାୟଲ ଅଫରରେ, ଆଣ୍ଟି-ଭାଇରସ, ରେଜିଷ୍ଟ୍ରୀ-ସ୍କାନର, ଫ୍ଲାଶ ଫାଇଲ କ୍ରିୟେଟର, ଆଦି ୩୦ ଦିନ ଅଫରରେ କିଣନ୍ତୁ ଏବଂ ଲାଭବାନ ହୁଅନ୍ତୁ ।

ଏହା ଦ୍ଵାରା କଣ ହୋଇଥାଏ? ନୂଆ ନୂଆ କମ୍ପ୍ୟୁଟର ବା ମୋବାଇଲ ବ୍ୟବହାର କରିଲାବେଳେ, ଏଭଳି ଅନେକ ମେସେଜ ଆସିଥାଏ । ସୁନ୍ଦର ସୁନ୍ଦର ଆକର୍ଷଣୀୟ ବିଜ୍ଞାପନ ଦେଖି ଲୋକେ ଡାଉନଲୋଡ କରିଥାନ୍ତି ବିଭିନ୍ନ ଖେଳ, ଫ୍ଲାଶ ଫାଇଲ, ଇତ୍ୟାଦି ଏବଂ ତାକୁ ନିଜ ସିସ୍ଟେମରେ ଇନଷ୍ଟାଲ କରିଥାନ୍ତି । କିନ୍ତୁ, ଇନଷ୍ଟାଲ କରିବା ଆଗରୁ ‘terms and conditions’ ଲେଖାଗୁଡ଼ିକୁ କେହି ନପଢି ‘I Agree’ରେ କ୍ଲିକ କରି ବଢିଥାନ୍ତି । ଯାହାଦ୍ୱାରା ଭବିଷ୍ୟତରେ କିଛି ବି ପ୍ରକାର ଡାଟା ଚୋରି ହେବାର ସମ୍ଭାବନା ରହେ ।

୪) ଅନଲାଇନ ଡେଟିଂ କିମ୍ବା ଫ୍ରୀ ଡେଟିଂ ୭ଦିନ ପାଇଁ

ଡେଟିଂ ଏବଂ ଅଜଣା ବ୍ୟକ୍ତିଙ୍କ ସହ ଚାଟିଙ୍ଗ ବି ଆଜିକାଲି ଏକ ସାଧାରଣ ଖେଳ ହେଲାଣି । ଅନେକ ଡେଟିଂ ସାଇଟରେ ଏକାଉଣ୍ଟ ଖୋଲିଲା ବେଳେ ବି କିଛି ନିଜର ମାଷ୍ଟରକାର୍ଡ଼ର ବିବରଣୀ ମାଗିଥାନ୍ତି, ଅନେକ ସୁନ୍ଦର ସୁନ୍ଦର ଅଫର ଦେଖାଇ ।

ଏହା ଦ୍ଵାରା କଣ ହୋଇଥାଏ? ବଡ ବଡ ସହରରେ ଏଭଳି ଅନେକ ଦୃଷ୍ଟାନ୍ତ ଅଛି, ଯାହାକି କୌଣସି ସାଇବର ପୁଲିସ ବି ଧରିବାରେ ଅସମର୍ଥ ହୁଅନ୍ତି । ଅନେକ ଯୁବପିଢୀ ନିଜର ଅମୂଲ୍ୟ ସମ୍ପଦ ହରାଇ, ଡ୍ରଗ୍ସ ଏବଂ ଅନୈତିକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ଓ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି । ଏଭଳି ଏକ ପୁରୁଣା ଘଟଣା ମୁଁ ଏଠି ଦୋହରାଇବାକୁ ଚାହେଁ, ଥରେ ଡେଟିଂ ସାଇଟରେ ଜଣେ ପୁଅ ଓ ଜଣେ ଝିଅ ପରସ୍ପରକୁ ଭଲ ପାଇଥାନ୍ତି । ଝିଅଟି ନିଜର କିଛି ବି ନଲୁଚାଇ ପୁଅଟିକୁ ଶେୟାର କରିଥାଏ । ସେଭଳି ପୁଅଟି ବି । ଦୁହେଁ ଦୁହିଙ୍କୁ ନିଜର ଫୋଟୋ, ଭିଡିଓ ମାଧ୍ୟମରେ ଅନେକ ଦିନେ ଚାଟିଙ୍ଗ କରିଚାଲିଥାନ୍ତି । ଏଭଳି କିଛି ଦିନ ପରେ, ପୁଅଟି ଝିଅଟିକୁ ଭେଟିବାକୁ ଆମନ୍ତ୍ରଣ କରେ । ଏହାର ଉତ୍ତରରେ ଝିଅଟି ନିଜର ଆର୍ଥିକ ଅଭାବ ଦେଖାଇ ସେ ପୁଅଠାରୁ ଯିବା ଆସିବା ପାଇଁ କିଛି ଟଙ୍କା ମାଗିଥାଏ, ଏବଂ ପୁଅଟି ତାବାଙ୍କ ଏକାଉଣ୍ଟରେ ପଠାଇଥାଏ । ଅନେକ ଆଶାର ସହିତ ପୁଅଟି ଯାଇ ଏୟାରପୋର୍ଟରେ ଅପେକ୍ଷା କରେ, କିନ୍ତୁ ନା ସେ ଝିଅ ଆସେ, ନା ତାର କୌଣସି ଠିକଣା ପାଏ ସେ । ଏହା ଯେହେତୁ ଏକ ଅପରାଧିକ କାର୍ଯ୍ୟ, ସେ ବି ପୁଲିସରେ ଏ ବିଷୟରେ କୌଣସି ରିପୋର୍ଟ ଦାଖଲ କରେନାହିଁ ଏବଂ ଶେଷରେ ମାନସିକ ଦୁଃଚିନ୍ତାରେ ଡ୍ରଗ୍ସ ନେବାକୁ ବାଧ୍ୟ ହୁଏ କିମ୍ବା ଆତ୍ମହତ୍ୟା ପାଇଁ ଚେଷ୍ଟା କରେ ।

୫) ଏ ଗିଫ୍ଟ ହାମ୍ପର

ଆପଣଙ୍କୁ ଏକ ପପ-ଅପ ମେସେଜ ଆସିଲା, ଯାହା ପଢି ଆପଣଙ୍କ ମନ ଖୁବ ଉଚ୍ଛନ୍ନ ହେଲା, ଏବଂ ସେହି ଲିଙ୍କରେ କ୍ଲିକ କରିବାକୁ ଲାଗିଲେ, ‘that crazy to grab some fabulous prizes and gifts, click here to know more in details…’

ଏହା ଦ୍ଵାରା କଣ ହୋଇଥାଏ? ଏଠାରେ ସେ ସ୍ପାମ୍ମର କିଛି bot ଫାଇଲ ତିଆରି କରିଥାନ୍ତି, ଯାହାଦ୍ଵାରା ସେମାନେ ସ୍ପାମ ମେସେଜ/ଇମେଲ ପଠାଇବାରେ ସକ୍ଷମ ହୋଇଥାନ୍ତି । ଏମାନକୁ ଠାବ କରିବା ବହୁତ କାଠିକର ପାଠ ହୋଇଥାଏ । ସାଧାରଣତଃ ଏ ଗୁଡିକ ୧୨୦ ଅକ୍ଷରରୁ ଅଧିକ ହୋଇଥାଏ, କିନ୍ତୁ ଦେଖାଦିଏ ମାତ୍ର ୧୦-୧୫ଟି ଅକ୍ଷର । ଏମାନେ ଖୁବ ଜଟିଳ ଆଉ ସହଜରେ ଆପଣଙ୍କ ମୋବାଇଲ କିମ୍ବା କମ୍ପ୍ୟୁଟରକୁ ହାକ କରିଥାନ୍ତି ।

୬) ଚାରିଟି ପାଇଁ ସାହାଯ୍ୟଭିକ୍ଷା

ଏଭଳି ବହୁତ କିଛି charity ସଂସ୍ଥା ଅଛି, ଯାହା ଫେକ ବା ଅନୈତିକ ଅଟେ । ଏମାନେ ବିଭିନ୍ନ social networking ସାଇଟ ମାଧ୍ୟମରେ ବିଭିନ୍ନ ଫୋଟୋ, ଭିଡିଓ ଅପଲୋଡ କରି ଲୋକଙ୍କଠୁ ଭୂମିକମ୍ପ, ସୁନାମୀ ଆଦି ପାଇଁ ସେବା ଆଳରେ ସାହାଯ୍ୟଭିକ୍ଷା କରିଥାନ୍ତି ।  ଏହା ଏକ ବଡ ସ୍କାମ ନେଟୱର୍କ ଅଟେ। ୧୦୦-୧୦୦ ଟଙ୍କା ସଂଗ୍ରହ କରି ଏମାନେ କୋଟି କୋଟି ଟଙ୍କାର ମାଲିକ ହୋଇଥାନ୍ତି । ଯାହାପ୍ରତି କୌଣସି ବ୍ୟକ୍ତି, ସରକାର, ପ୍ରଶାସକଙ୍କ ଦ୍ରୁଷ୍ଟିଗୋଚର ହୁଏ ନାହିଁ । କାରଣ, ମଣିଷଙ୍କ ମନ ଖୁବ ଦୟାଳୁ, ୧୦୦ ଟଙ୍କା ପାଇଁ ସେମାନେ ଏତେ ଚିନ୍ତା କାହିଁକି ବା କରିବେ? ସେ ଟଙ୍କା କୁଆଡ଼େ ଯାଉଛି, ପ୍ରକୃତ ଠିକଣା ଲୋକଙ୍କ ସେବାରେ ଲାଗୁଛି କି ନାହିଁ, ଜାଣିବାରେ ବି କାହାର ଆଗ୍ରହ ନାହିଁ । ଆଉ, ଏଭଳି ପରିପ୍ରେକ୍ଷୀରେ ସେମାନେ ଖୁବ ବଡ ସ୍କାମ କରିଥାନ୍ତି ।

ସେମାନଙ୍କ ୱେବସାଇଟଟି ଦେଖିଲେ ବି ସଂପୂର୍ଣ୍ଣ ସୁସ୍ଥ ଲାଗିବ; କିଛି ସରକାରୀ ଲୋଗୋ, ବଡ ବଡ ସଂସ୍ଥା ଯେପରି UNICEF, WHO ଭଳି ସଂସ୍ଥାର ଲୋଗୋ ଆଦି ରଖିଥିବେ, Income Tax Redemption ବି ଲେଖିଥିବେ, strong ଟେଷ୍ଟିମୋନିଆଲ (ଅନୁଭୂତି/ଟିପ୍ପଣୀ) ବି ଲେଖିଥିବେ, ଇତ୍ୟାଦି ଇତ୍ୟାଦି ।  ଯାହାକୁ ଦେଖି କୌଣସି ଲୋକ ଜାଣିପାରିବେ ନାହିଁ ଯେ ଏ ୱେବସାଇଟ ବା କମ୍ପାନିଟି ସତ କି ମିଛ; ତେଣୁ ଏପରି ଟ୍ରଷ୍ଟ/କମ୍ପାନିରେ ଯଦି ଆପଣ ଟଙ୍କା ଦେଉଛନ୍ତି, ତେବେ ସଜାଗ । ଦେଖିଚାହିଁ ଦିଅନ୍ତୁ ।

ଶେଷରେ, ଏକ ସାମାନ୍ୟ ପ୍ରଚେଷ୍ଟା ଆପଣଙ୍କୁ ସୁରକ୍ଷିତ ରଖିପାରିବ

  • ପ୍ରତ୍ୟେକ ୱେବସାଇଟ ବାଏକାଉଣ୍ଟ ପାଇଁ ଅଲଗା ଅଲଗା ୟୁଜର ନାମ ଏବଂ ପାସୱର୍ଡ ରଖନ୍ତୁ । 
  • ସବୁ ପାସୱର୍ଡ ପ୍ରତ୍ୟେକ ମାସରେ ବଦଳାନ୍ତୁ ।
  • ପାସୱର୍ଡରେ ନିଜର ବ୍ୟକ୍ତିଗତ ତଥ୍ୟ, ଯେପରି ମୋବାଇଲ ନମ୍ବର, ଡାକ ନାମ, ଜନ୍ମ ତାରିଖ, ସ୍ଥାନ ଆଦି ରଖନ୍ତୁ ନାହିଁ ।
  • ପାସୱର୍ଡ ସଂପୂର୍ଣ୍ଣ ଭାବେ ଭିନ୍ନ ଏବଂ ଅତିକମରେ ୮ଅଙ୍କ ବିଶିଷ୍ଟ ହେବା ଜରୁରୀ, ସେଥିରେ ପୁଣି CAPITAL (ବଡ),  small (ସାନ), ଅଙ୍କ (୦ ରୁ ୯) ଏବଂ କିଛି କମ୍ପ୍ୟୁଟର ଚିହ୍ନ (ଯେପରି -, _, @, #, *, &, % ଆଦି) ରହିବା ଜରୁରୀ ।
  • କୌଣସି ୱେବ-ଲିଙ୍କ, ଚିତ୍ର, ଭିଡିଓରେ କ୍ଲିକ କରିବା ପୂର୍ବରୁ ସଜାଗ ହୁଅନ୍ତୁ । ଆପଣ ନିଜ ମାଉସ କର୍ସର ସେହି ଲିଙ୍କ/ଚିତ୍ର ଉପରେ ରଖିଲେ, ତାହାର ଅରିଜିନାଲ ୱେବ-ଲିଙ୍କଟିକୁ ଦେଖିପାରିବେ । ଯଦି ଆପଣଙ୍କୁ ସେହି ତଥ୍ୟର ଆବଶ୍ୟକ ନାହିଁ ତେବେ ଭିତରକୁ ଯାଅନ୍ତୁ ନାହିଁ ।
  • କୌଣସି ୱେବସାଇଟରେ ଟଙ୍କା ପଠାଇବା ପୂର୍ବରୁ ତାହା ଗୁଗଲ (Google) କରି ପରୀକ୍ଷା କରିନିଅନ୍ତୁ; ପ୍ରକୃତ ବ୍ୟାଙ୍କ/କମ୍ପାନିର ୱେବସାଇଟ ଠିକଣାଟି ସେଭଳି ଅଛି ନା ଭିନ୍ନ ଅଛି । ଯଦି ଭିନ୍ନ ଥାଏ ତେବେ ନିକଟସ୍ଥ ସାଇବର କ୍ରାଇମ ସେଲରେ ଯାଇ ତୁରନ୍ତ ଇନଫର୍ମ କରନ୍ତୁ । 

Post a Comment

0 Comments