ବଲାଙ୍ଗୀର ସହରରେ ହେବ ୪କୋଟି ବ୍ୟୟର ଅଡିଟୋରିୟମ୍। କାମ ଆରମ୍ଭ ପାଇଁ ୧କୋଟି ମଞ୍ଜୁର


ବଲାଙ୍ଗିର ସହରର ରୂପରେଖ ପରିବର୍ତ୍ତନ ପାଇଁ ଜୋର୍‌ସୋର୍‌ରେ ଉଦ୍ୟମ ଚାଲିଛି । କିଛି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବାକୁ ଯାଉଛି । ବର୍ତ୍ତମାନ ପୁଣି ଏକ ଅଡିଟରିୟମ ପାଇଁ ମଞ୍ଜୁରି ମିଳିସାରିଛି । ଗତ ମାର୍ଚ୍ଚ ମାସରେ ଏଲ୍‌ଏଣ୍ଡଏସ୍‌ କ୍ଲବ ପରିସରରେ ୪ କୋଟି ଟଙ୍କାର ଏକ ଅଡିଟରିୟମ ନିର୍ମାଣ ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସବିଶେଷ ପ୍ରକଳ୍ପ ରିପୋର୍ଟ ସହ ଏହାର ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅନୁରୋଧ କରିଥିଲେ । ଯାହାକି ଗତ ତା.୦୨.୧୨.୨୦୨୦ ତାରିଖରେ ମଞ୍ଜୁରି ମିଳିଯାଇଛି । 

ପ୍ରଥମ ପର୍ଯ୍ୟାୟରେ କାମ ଆରମ୍ଭ ପାଇଁ ୧ କୋଟି ଟଙ୍କାର ଅର୍ଥ ବରାତ ହୋଇ ସାରିଥିବା ଜଣାଯାଇଛି । ଏ ସମ୍ବନ୍ଧୀୟ ଏକ ପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମଧ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ପଠାସାରିଛି । ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରସ୍ତାବ ମୁତାବକ ସହରର ମଧ୍ୟ ଭାଗରେ ଥିବା ଏଲ୍‌ଏଣ୍ଡଏସ୍‌ କ୍ଲବ ପରିସରରେ ନିର୍ମାଣ ହେବାକୁ ଥିବା ଏହି ଅଡିଟରିୟମରେ ୫୦୦ ରୁ ୭୦୦ ଲୋକଙ୍କ ପାଇଁ ଚୌକି ବ୍ୟବସ୍ଥା ସହ ନାଟକ, ସଭାସମିତି ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାରମ୍ଭିକ ଆକଳନ ଅନୁସାରେ ୪ କୋଟି ଟଙ୍କା ରଖା ଯାଇଥିବା ବେଳେ ଦରକାର ପଡିଲେ ଏଥିପାଇଁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଏବଂ ଏହି ଅତ୍ୟାଧୁନିକ ଅଡିଟରିୟମ ପାଇଁ ଯେମିତି ଆଗକୁ ଆଉ ୬ କୋଟି ଟଙ୍କା ମିଳିପାରିବ, ସେ ସଂପର୍କରେ ଉନ୍ନୟନ କମିଶନରଙ୍କ ସହ ଆଲୋଚନା ଚାଲିଛି ଏବଂ ଏଥିରେ ମଧ୍ୟ ସଫଳତା ମିିଳିବ ବୋଲି କହିବା ସହ ବଲାଙ୍ଗିର ସହର ମଧ୍ୟରେ ସମସ୍ତ ପ୍ରକାର ଭିତ୍ତିଭୂମି ବିକାଶ ଆଗାମୀ ୩ ବର୍ଷ ମଧ୍ୟରେ ନିଶ୍ଚୟ ସମ୍ପୁର୍ଣ୍ଣ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । କାମ ଶୀଘ୍ର ଆରମ୍ଭ କରିବା ପାଇଁ ଦରକାର ହେଉଥିବା ଅନୁମୋଦନ ଯଥା ଏଲ୍‌ଏଣ୍ଡଏସ୍‌ କ୍ଲବ ଜମିର ସବିଶେଷ ତଥ୍ୟ, ଜମି ଜବରଦଖଲ ନ ଥିବାର ପ୍ରମାଣପତ୍ର, ରକ୍ଷଣାବେକ୍ଷଣ କରିବାକୁ ଥିବା ସଂସ୍ଥା ଇତ୍ୟାଦିର ସବିଶେଷ ତଥ୍ୟ ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ଜିଲ୍ଲାପାଳଙ୍କୁ ମଗାଯାଇ ସାରିଛି । ବହୁତ ଶୀଘ୍ର ବଲାଙ୍ଗିର ସହର କଳା ସଂସ୍କୃତି, ଶିକ୍ଷା, ସାମାଜିକ କାର୍ଯ୍ୟକ୍ରମ, ସଭାସମିତି ପାଇଁ ଏହି ଅଡିଟରିୟମର ନିର୍ମାଣ କାମ ଆରମ୍ଭ ହେବ ବୋଲି ଜଣାଯାଇଛି ।

Post a Comment

0 Comments